
କଳମଛୁଇଁ ଶିଶୁମନ୍ଦିରରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ
ତାଳଚେର, ୦୯/୦୯ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଦିବାକର ବାରିକ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଗବତ ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସୁଭଦ୍ରା ବେହେରା ପ୍ରଥମ, ହାର୍ଦ୍ଧିକ ନାୟକ ଦ୍ୱିତୀୟ, ସାଇ ଶାଶ୍ୱତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ଆଦ୍ୟାଶା ପ୍ରଧାନ ପ୍ରଥମ, ରିତିସ୍ନା ମହାପାତ୍ର ଦ୍ୱିତୀୟ ଓ ଆଦ୍ୟା ଆହ୍ଲାଦିତା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁସ୍ତକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା ଓ ସ୍ନେହଲତା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ଅର୍ଚ୍ଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଚତୁର୍ଭୂଜ ସାହୁ, ବସନ୍ତ ମହାନ୍ତି, ସରୋଜା ବେହେରା, ସବିତା ସାହୁ, ରବିନ୍ ବରାଳ, ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

